ଓଡ଼ିଆ ବିଶ୍ଵବିଦ୍ୟାଳୟ ଆନୁଷ୍ଠାନିକ ଭାବେ ସେପ୍ଟେମ୍ବର ପାଞ୍ଚ, ୨୦୨୩ ରେ ଉଦଘାଟୀତ । ଏହା ଏକ ଏକକ ବିଶ୍ବବିଦ୍ୟାଳୟ । ଓଡ଼ିଆ ଭାଷା, ସାହିତ୍ୟ ତଥା ସଂସ୍କୃତିର ସ୍ନାତକୋତ୍ତର ଶ୍ରେଣୀରେ ଅଧ୍ୟୟନ, ଗବେଷଣା ଓ ଏହାର ସର୍ବାଙ୍ଗୀନ ବିକାଶ ଆମର ପ୍ରାଥମିକ ଲକ୍ଷ୍ୟ । ଓଡ଼ିଶାର ବିଭିନ୍ନ ଆଦିବାସୀ ଭାଷା, ଓଡ଼ିଆ ଆଞ୍ଚଳିକ ଭାଷା, ଓଡ଼ିଆ ଭାଷା ସାହିତ୍ୟର ବିବିଧ ନୂତନ ଦିଗର ଶୃଙ୍ଖଳିତ, ବୈଜ୍ଞାନିକ ଓ ମୌଳିକ ଗବେଷଣା କରିବା ସହିତ ପୃଥିବୀର ବିଭିନ୍ନ କୋଣ-ଅନୁକୋଣରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ସଂପର୍କିତ ଗବେଷଣାକୁ ଉତ୍ସାହିତ କରିବା ତଥା ଆନ୍ତର୍ଜାତିକ ସ୍ତରକୁ ଉନ୍ନୀତ କରିବା ଏହାର ଅନ୍ୟତମ ଉଦ୍ଧେଶ୍ୟ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ମୌଳିକ ଦିଗକୁ ଉଦ୍ଭାସିତ କରି ଅନ୍ୟ ଭାଷା-ସାହିତ୍ୟ ସହ ତୁଳନା କରିବା ଓ ପୁନଶ୍ଚ ଅନୁବାଦ ମାଧ୍ୟମରେ ଓଡ଼ିଆ ସାହିତ୍ୟକୁ ବିଶ୍ବରେ ପରିଚିତ କରିବାର ଯୋଜନା ରହିଛି । ପ୍ରାଚୀନ ଉତ୍କଳର ନୌବାଣିଜ୍ୟ, ହସ୍ତଶିଳ୍ପ, ମନ୍ଦିର ସ୍ଥାପତ୍ୟ, ନାନାବିଧ ଶିଳ୍ପକଳା ଓ ପୋଥି ସଂପାଦନା ପରି ଗୁରତ୍ୱପୂର୍ଣ ଦିଗକୁ ଏହି ବିଶ୍ବବିଦ୍ୟାଳୟ ଚର୍ଚା କରିବା ସହିତ ସଂରକ୍ଷଣ ଦିଗରେ ଯତ୍ନବାନ ହେବ ।
ଓଡ଼ିଆ ଭାଷାରେ ରଚିତ ସାହିତ୍ୟ ଓ ସଂସ୍କୃତି ସଂପର୍କିତ ଉପଲବ୍ଧ ତଥ୍ୟ ଓ ପୁସ୍ତକ ତଥା ଶାସ୍ତ୍ରୀୟ ଓଡ଼ିଆ ଭାଷାରେ ମିଳୁଥିବା ସମସ୍ତ ତଥ୍ୟ ଓ ନଥିପତ୍ର ସଂରକ୍ଷଣ ଦିଗରେ ପଦକ୍ଷେପ ନିଆଯିବ । ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁସାରେ ମାତୃଭାଷା ଓ ଆଞ୍ଚଳିକ ଭାଷାକୁ ପାଠ୍ୟ ଅନ୍ତର୍ଭୁକ୍ତ କରି ଏହାର ଯୁଗୋପଯୋଗିତାକୁ ଗୁରୁତ୍ବ ଦେବାକୁ ପ୍ରତିଶ୍ରୁତିବଦ୍ଧ ।
ଏହି ବିଶ୍ୱବିଦ୍ୟଳୟ ନୂତନ ହେଲେ ମଧ୍ୟ ଏକ ସୁଦୀର୍ଘ ଐତିହ୍ୟ ଓ ଆଦର୍ଶମୟ ପରଂପରାର ଭିତ୍ତିଭୂମି ଉପରେ ଏହା ଦଣ୍ଡାୟମାନ । ଓଡ଼ିଶାର ବରପୁତ୍ର ପଞ୍ଚସଖା ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗୋଦାବରୀଶ ମିଶ୍ର, ଆଚାର୍ଯ୍ୟ ହରିହର ଓ ପଣ୍ଡିତ କୃପାସିନ୍ଧୁ ମିଶ୍ରଙ୍କ କର୍ମକ୍ଷେତ୍ର ଓ ପଞ୍ଚଭୂମି ସତ୍ୟବାଦୀର ବକୁଳବନ ଠାରେ ଏହା ଅବସ୍ଥିତ । ସମାଜ ସଂସ୍ମାରକ, ଶିକ୍ଷାବିତ୍, ଦେଶପ୍ରାଣ ଓ ନିଃସ୍ଵାର୍ଥପର ସ୍ବାଧୀନତା ସଂଗ୍ରାମୀ ପଞ୍ଚସଖାଙ୍କ ବଳିଦାନରେ ସିକ୍ତ ଏ ପୁଣ୍ୟଭୂମି । ଆଦର୍ଶ ନାଗରିକ ଗଢିବାର ସ୍ବପ୍ନନେଇ ଯେଉଁଠାରେ ବନ ବିଦ୍ୟାଳୟ ନିର୍ମିତ ହୋଇଥିଲା ସେହି ତୀର୍ଥଭୂମିରେ ମୂଲ୍ୟବୋଧର ମନ୍ତ୍ରରେ ଆମର ଛାତ୍ର ସମାଜ ମନ୍ତ୍ରିତ ।
ଓଡ଼ିଆ ବିଶ୍ବବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ର ସମାଜକୁ ଭବିଷ୍ୟତର ସମ୍ବଳଭାବରେ ଗଢିବାକୁ ଓଡ଼ିଆ ବିଶ୍ୱବିଦ୍ୟାଳୟ ବଦ୍ଧପରିକର । ଛାତ୍ରମାନଙ୍କମଧ୍ୟରେ ଗବେଷଣା ମନୋବୃତ୍ତି, ମୌଳିକ ଚିନ୍ତନ, ଦାୟିତ୍ୱବୋଧ, କର୍ତବ୍ୟନିଷ୍ଠା, ମୂଲ୍ୟବୋଧଯୁକ୍ତ ସ୍ବାଧୀନ ଚେତନା ଓ ମାନବିକତାବୋଧ ସଂପନ୍ନ ବ୍ଯକ୍ତିତ୍ବ ଗଠନରେ ଏ ଅନୁଷ୍ଠାନ ବିଶ୍ବାସୀ ।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଅଧ୍ୟୟନର ଏକ ନିର୍ଭରଯୋଗ୍ୟ ଶ୍ରେଷ୍ଠ ପ୍ରତିଷ୍ଠାନଭାବରେ ଓଡ଼ିଆ ବିଶ୍ବବିଦ୍ୟାଳୟକୁ ପ୍ରତିଷ୍ଠଦେବା ଆମର ଆଭିମୁଖ୍ୟ । ଏହା ଓଡ଼ିଆ ଅସ୍ମିତାର ପ୍ରତିଷ୍ଠାନ ।