ବିଶ୍ୱବିଦ୍ୟାଳୟ ବିଷୟରେ

ବିଶ୍ୱବିଦ୍ୟାଳୟ ସମ୍ପର୍କରେ

ଏକ ଭାଷା ଭିତ୍ତିକ ବିଶ୍ଵବିଦ୍ୟାଳୟଭାବେ, ଓଡ଼ିଆ ବିଶ୍ଵବିଦ୍ୟାଳୟ ଆଇନ, ୨୦୧୭ ଅଧୀନରେ “ଓଡ଼ିଆ ବିଶ୍ଵବିଦ୍ୟାଳୟ” ଓଡ଼ିଶାର ପୁରୀ ଜିଲ୍ଲା ଅନ୍ତର୍ଗତ ସତ୍ୟବାଦୀଠାରେ ମହାନ ପଞ୍ଚାସଖାଙ୍କ ବକୁଳ ବନ ପ୍ରାଙ୍ଗଣରେ ପ୍ରତିଷ୍ଠା ହୋଇଅଛି ଯାହା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ଅଧ୍ୟୟନ ଓ ପ୍ରଚାର ପ୍ରସାର ପାଇଁ ସମର୍ପିତ। ଓଡିଆ ଭାଷା ଭାରତର ସର୍ବପୁରାତନ ଭାଷା ମାନଙ୍କ ମଧ୍ୟରୁ ଅନ୍ୟତମ ଏବଂ ଏକ ସମୃଦ୍ଧ ସାହିତ୍ୟ ପରମ୍ପରା ସହ ଭାରତର ଶାସ୍ତ୍ରୀୟ ଭାଷା ଭାବେ ଘୋଷିତ ହୋଇଥିବା ଏହି ଭାଷାର ସଂରକ୍ଷଣ ଓ ଅଭିବୃଦ୍ଧି କରିବା ଲକ୍ଷ୍ୟରେ ଓଡିଶା ସରକାର ୨୦୧୭ ମସିହାରେ ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ଏହି ପରିପ୍ରେକ୍ଷୀରେ ବିଶ୍ୱବିଦ୍ୟାଳୟର ପ୍ରଥମ ଶିକ୍ଷାବର୍ଷ ୨୦୨୩  ସେପ୍ଟେମ୍ବର ୫  ତାରିଖରୁ ଆରମ୍ଭ ହୋଇଥିଲା। ଏବଂ ଏହି ବିଶ୍ୱବିଦ୍ୟାଳୟରେ ଓଡ଼ିଆ ସାହିତ୍ୟ, ଭାଷା ବିଜ୍ଞାନ, ଇତିହାସ, ଏବଂ ସଂସ୍କୃତି ସମ୍ବନ୍ଧୀୟ ଗବେଷଣା, ଅଧ୍ୟୟନ ଏବଂ ଜ୍ଞାନର ବ୍ୟାପକ ପ୍ରସାର ଉପରେ ଗୁରୁତ୍ୱାରୋପ କରାଯିବାପାଇଁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଉଅଛି  । ଓଡ଼ିଆ ବିଶ୍ଵବିଦ୍ୟାଳୟର ପରିସର ୧୭ ଏକର ଜମିରେ ଆପାତତଃ ପରିବ୍ୟାପ୍ତ ଏବଂ ଏହା ସବୁଜ ପରିବେଶ ମଧ୍ୟରେ ଅବସ୍ଥିତ, ଯାହା ଏହାର ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଶାନ୍ତିପୂର୍ଣ୍ଣ ଶିକ୍ଷା ପରିବେଶ ପ୍ରଦାନ କରୁଅଛି ଏବଂ ଏହିଠାରେ ଓଡ଼ିଆ ଭାଷା ଓ ସାହିତ୍ୟ ସମ୍ବନ୍ଧୀୟ ବିଭିନ୍ନ ବିଭାଗରେ ସ୍ନାତକୋତ୍ତର ଓ ଡକ୍ଟରେଟ ପ୍ରମାଣପତ୍ର ପ୍ରଦାନ କରାଯିବାର ପ୍ରସ୍ତାବ ରହିଛି।ଯୋଗ୍ୟ ଓ ଅଭିଜ୍ଞ ଅଧ୍ୟାପକ/ଅଧ୍ୟାପିକା ମାନଙ୍କୁ ନେଇ ସମୃଦ୍ଧ ଓଡ଼ିଆ ବିଶ୍ଵବିଦ୍ୟାଳୟ, ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସହ ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ବୃଦ୍ଧି କରିବାରେ ସର୍ବଦା ଚେଷ୍ଟିତ ଏବଂ ବିଶ୍ଵବିଦ୍ୟାଳୟରେ ଅତିଥି ବକ୍ତୃତା ସହ ଛାତ୍ରଛାତ୍ରୀଙ୍କ ପାଇଁ ଆଲୋଚନାଚକ୍ର ଆୟୋଜନ କରିବା ପାଇଁ ବିଶିଷ୍ଟ ବିଦ୍ୱାନ, ଲେଖକ, ଭାଷାବିତ ମାନଙ୍କୁ ନିମନ୍ତ୍ରଣ କରାୟାଇଥାଏ ।ଓଡ଼ିଆ ବିଶ୍ଵବିଦ୍ୟାଳୟରେ ଏକ ସୁବ୍ୟବସ୍ଥିତ ପାଠାଗାର ସହିତ ଏକ ଡିଜିଟାଲ ପାଠାଗାର ପ୍ରତିଷ୍ଠା କରାୟିବାର ପ୍ରସ୍ତାବ ରହିଛି, ଯେଉଁଥିରେ ଓଡ଼ିଆ ସାହିତ୍ୟ ସମ୍ବନ୍ଧୀୟ ପୁସ୍ତକ, ପତ୍ରପତ୍ରିକା, ପାଣ୍ଡୁଲିପି ଏବଂ ବିରଳ ଦସ୍ତାବିଜଗୁଡ଼ିକର ଏକ ବିଶାଳ ସଂଗ୍ରହ ରହିବ। ଏହି ପାଠାଗାର ଛାତ୍ରଛାତ୍ରୀ ଓ ଗବେଷକମାନଙ୍କ ପାଇଁ ଏକ ମୂଲ୍ୟବାନ ସମ୍ବଳ ଭାବେ କାର୍ୟ୍ୟ କରିବ । ସାହିତ୍ୟ ଉତ୍ସବ, ଆଲୋଚନାଚକ୍ର, କର୍ମଶାଳା, ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଆ ଐତିହ୍ୟକୁ ପାଳନ ଏବଂ ପ୍ରସାର କରିବା ପାଇଁ  ବିଶ୍ୱବିଦ୍ୟାଳୟ ତରଫରୁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯିବାର ନିଷ୍ପତ୍ତି ନିଆଯାଇଅଛି ଏବଂ, ବିଚାର ଏବଂ ଜ୍ଞାନର ଆଦାନ ପ୍ରଦାନକୁ ସୁଗମ କରିବାପାଇଁ ଓଡ଼ିଆ ବିଶ୍ଵବିଦ୍ୟାଳୟ ପରି ଏକ ମଞ୍ଚ ମାଧ୍ୟମରେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଓ ସାହିତ୍ୟିକ ପରମ୍ପରାକୁ ପ୍ରଦର୍ଶିତ କରି ଦେଶ ବିଦେଶର ଜ୍ଞାନୀଗୁଣି ଜନ, ଲେଖକବୃନ୍ଦ, ଏବଂ କଳାକାର ମାନଙ୍କୁ ଆକର୍ଷିତ କରିବାର ଲକ୍ଷ୍ୟ ରହିଛି । ସାମଗ୍ରିକ ଭାବେ ଓଡ଼ିଆ ବିଶ୍ବବିଦ୍ୟାଳୟ ହେଉଛି ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ଏକ ମର୍ୟ୍ୟାଦାଜନକ ଶିକ୍ଷାନୁଷ୍ଠାନ, ଯାହା ଓଡ଼ିଆ ଭାଷା ଓ ସଂସ୍କୃତିର ସଂରକ୍ଷଣ, ପ୍ରୋତ୍ସାହନ ଓ ବିକାଶ ପାଇଁ ଉତ୍ସର୍ଗୀକୃତ। ଏହା ଓଡିଶାର ଶୈକ୍ଷିକ ଓ ସାଂସ୍କୃତିକ ବିକାଶରେ ଯୋଗଦାନ କରିବା ସହ ଓଡିଆ ସାହିତ୍ୟ ଓ ଭାଷା କ୍ଷେତ୍ରରେ ଆଗାମୀ ପିଢ଼ିର ବିଦ୍ୱାନ, ଲେଖକ, ଭାଷାବିତ୍ ମାନଙ୍କୁ ଉତ୍ସାହିତ  ଓ ପ୍ରୋତ୍ସାହିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ।